ଓଡ଼ିଶା ଲିଡ୍ସ(ବ୍ୟୁରୋ): ବଙ୍ଗୋପସାଗରରେ ଘନୀଭୂତ ହେଉଛି ଆଉ ଏକ ଲଘୁଚାପ । ଯାହାକୁ ନେଇ ବାତ୍ୟା ଆଶଙ୍କା ବୃଦ୍ଧି ପାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅକ୍ଟୋବର ୩୧ ତାରିଖ ସକାଳ ୮ଟା ୩୦ ସୁଦ୍ଧା ଲଘୁଚାପଟି ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପର ରୂପ ନେଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । କେବଳ ସେତିକି ନୁହେଁ, ଅବପାତରେ ପରିଣତ ହେବାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରୁଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ଆନ୍ଧ୍ରପ୍ରଦେଶ ଉପକୂଳ ସହ ଓଡ଼ିଶାରେ ଏହାର କି ପ୍ରଭାବ ପଡ଼ିବ, ତାହାକୁ ନେଇ ଚିନ୍ତା ବଢ଼ିଛି । ଆଗାମୀ ସମୟରେ ଏ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ ବିଭାଗ କହିଛି ।



















