ଓଡ଼ିଶା ଲିଡ୍ସ(ବ୍ୟୁରୋ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ପ୍ରବଳ ଶୀତ ଲହରୀ ରାଜ୍ୟବାସୀଙ୍କୁ କଲବଲ କରୁଛି । ମୟୁରଭଞ୍ଜ ଶିମିଳିପାଳରେ ଶୁନ୍ୟ ଡିଗ୍ରୀକୁ ଖସି ଯାଇଛି ପାରଦ। ରାଜଧାନୀ ଭୁବନେଶ୍ଵରରେ ବି ଶୀତ ରାଜଧାନୀବାସୀଙ୍କୁ କଲବଲ କରୁଛି । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଆହୁରି ସପ୍ତାହେ ଯାଏଁ ଏଭଳି ଶୀତ ଲହରୀ ଜାରି ରହିବାର ଆକଳନ କରିଛି ପାଣିପାଗ ବିଭାଗ। ଶିମିଳିପାଳରେ ମାଇନସ ଡିଗ୍ରୀକୁ ଖସିଛି ପାରଦ। କିଛି ଦିନ ହେଲା ଦିନର ସୂର୍ଯ୍ୟ ତାପ ସାମାନ୍ୟ ବୃଦ୍ଧି ହୋଇଛି । ହେଲେ ସୂର୍ଯ୍ୟ ଅସ୍ତ ହେଲେ ଶୀତ ବଢୁଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୨.୬ ଡିଗ୍ରି ଓ ରାଉରକେଲାରେ ୩.୬ ଡିଗ୍ରି ପାରଦ ରେକର୍ଡ ହୋଇଛି । ରାଉରକେଲା ଦେଶର ସର୍ବାଧିକ ଶୀତ ଅନୁଭୂତ ହେଉଥିବା ଚତୁର୍ଥ ସହର ହୋଇଛି । ଏହା ରାଉରକେଲାର ସର୍ବକାଳୀନ ସର୍ବନିମ୍ନ ରେକର୍ଡ ବୋଲି କହିଛି ପାଣିପାଗ ବିଭାଗ । କଟକରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଶନିବାର ଶୀତ ପାଇଁ ସ୍କୁଲ ସକାଳ ପରିବର୍ତ୍ତେ ଦିନ ୧୦ ଟାକୁ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ ।
ରାଜ୍ୟରେ ୨୫ଟି ସହରରେ ୧୦ ଡିଗ୍ରି କିମ୍ବା ତା’ତଳେ ରହିଛି ପାରଦ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ରାତିରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଶୀତ ଲହରି ଅନୁଭୂତ ହେବ । ଆସନ୍ତାକାଲି ପାଇଁ ଝାରୁସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳକୁ ପ୍ରବଳ ଥଣ୍ଡା ନେଇ ସତର୍କତା ଜାରି କରାଯାଇଛି ।




















