ଓଡ଼ିଶା ଲିଡ୍ସ(ଯାଜପୁର): ଗତ ୭ ତାରିଖ ମଧ୍ୟରାତ୍ରରେ ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ବେଣାଗାଡ଼ିଆ ଗ୍ରାମର ମୁନିଆ ନାୟକଙ୍କ ପତ୍ନୀ ଦୁଲା ନାୟକ ଗୁରୁତର ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଦୁଲାଙ୍କ ସହିତ ତାଙ୍କ ସ୍ୱାମୀ ଓ ନାତୁଣୀ ମଧ୍ୟ ଯାଜପୁର ଆସିଥିଲେ । ଅତ୍ୟନ୍ତ ଗରିବ ମୁନିଆଙ୍କ ନିକଟରେ ସକାଳୁ ଖାଇବାକୁ ମଧ୍ୟ ପଇସା ନଥିଲା । ଏ ନେଇ ଜନୈକ ସାମ୍ବାଦିକଙ୍କ ସୁତରୁ ଖବର ପାଇଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଖବର ପାଇ ତୁରନ୍ତ ଯାଜପୁର ଟାଉନର ଯୁବ ସମାଜସେବୀ ଦେବଦତ୍ତ ଦାସ(ପୁତୁଲା)ଙ୍କ ସହିତ ଯୋଗାଯୋଗ କରି ମୁନିଆଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ପରାମର୍ଶ ଦେଇଥିଲେ । ଖବର ପାଇ ଦେବଦତ୍ତ ତୁରନ୍ତ ମେଡିକାଲର ଷଷ୍ଠ ମହଲାରେ ଥିବା ଦୁଲାଙ୍କ ପରିବାର ନିକଟରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କ ସ୍ୱାସ୍ଥ୍ୟର ଅବସ୍ଥା ବୁଝିଥିଲେ । ଅନ୍ୟ ପକ୍ଷରେ ଇଂ ଘଡାଇ ଦେବଦତ୍ତଙ୍କୁ ଏହି ମହତ କାର୍ଯ୍ୟ ପାଇଁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଦେଇ ଆଗାମି ଦିନରେ ମଧ୍ୟ ଏଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।




















